ଓଡ଼ିଶା ମୁହାଁ ସମ୍ଭାବ୍ୟ ବାତ୍ୟା! ୨୬ରେ ବାତ୍ୟାର ରୂପ, ୨୮ ସକାଳେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ବଢ଼ିଛି ଚିନ୍ତା। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଅଧିକ ଘନୀଭୂତ ହେଉଥିବା ବେଳେ ଏହା ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୬ ତାରିଖ ବେଳକୁ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଅର୍ଗସ ନ୍ୟୁଜ୍‌କୁ ଦେଇଥିବା ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୮ ସକାଳ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ତେବେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ ଓ ସ୍ଥଳଭାଗ ଅତିକ୍ରମ ସ୍ଥାନ ସମ୍ପର୍କରେ ଆଗାମୀ ପାଣିପାଗ ବୁଲେଟିନ୍‌ରୁ ଅଧିକ ସ୍ପଷ୍ଟ ସୂଚନା ମିଳିପାରିବ।

 ବଢ଼ିବ ପବନର ବେଗ, ଅଶାନ୍ତ ରହିବ ସମୁଦ୍ର

ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୫୫ରୁ ୬୫ କିଲୋମିଟର ଏବଂ ଝଟକା ପବନର ବେଗ ସର୍ବାଧିକ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଅକ୍ଟୋବର ୨୬ ବେଳକୁ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୯୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରାଯାଇଛି। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କ ପାଇଁ ପାଣିପାଗ ବିଭାଗର ସତର୍କ ସୂଚନା ପାଳନ କରିବା ଜରୁରୀ।

୨୭ରୁ ୨୯ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ଅତ୍ୟଧିକ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ରେଡ୍‌, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି।

 ଅକ୍ଟୋବର ୨୬: ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି।

 ଅକ୍ଟୋବର ୨୭: ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ

ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ଅତ୍ୟଧିକ ବର୍ଷା ଆଶଙ୍କାରେ ରେଡ୍‌ ଆଲର୍ଟ ଜାରି ହୋଇଥିବା ସୂଚନା ରହିଛି।

ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ ଓ ଅନୁଗୋଳ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ରହିଛି।

 ଅକ୍ଟୋବର ୨୮: ୫ ଜିଲ୍ଲାକୁ ରେଡ୍‌ ଆଲର୍ଟ

ଅକ୍ଟୋବର ୨୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତ୍ୟଧିକ ବର୍ଷାର ଆଶଙ୍କା ରହିଛି।

ଏହାସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ଅନ୍ୟ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି।

 ବାତ୍ୟାକୁ ନେଇ ସତର୍କ ରହିବାକୁ ପରାମର୍ଶ

ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ଉପକୂଳ ଏବଂ ତଳିଆ ଅଞ୍ଚଳର ଲୋକମାନେ ସତର୍କ ରହିବା ଆବଶ୍ୟକ। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ପୂର୍ବରୁ ସରକାରୀ ପରାମର୍ଶ ଯାଞ୍ଚ କରନ୍ତୁ। ପ୍ରବଳ ବର୍ଷା ସମୟରେ ଜଳମଗ୍ନ ରାସ୍ତା ଅତିକ୍ରମ ନ କରିବା ସହ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରନ୍ତୁ।